କଥାରେ ଅଛି “କଷ୍ଟ କଲେ, କୃଷ୍ଣ ମିଳେ।”ଅର୍ଥାତ୍: କଠିନ ପରିଶ୍ରମରେ କୌଣସି ବଡ଼ ଲକ୍ଷ୍ୟ କିମ୍ବା ସଫଳତା ହାସଲ କରି ହୁଏ।
ବ୍ୟବସାୟ ହେଉଛି ଏକ ସୁସଂଗଠିତ ଏବଂ ନିରନ୍ତର ଆର୍ଥିକ କାର୍ଯ୍ୟକଳାପ, ଯାହା ଲୋକମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ସାମଗ୍ରୀ (Goods) ବା ସେବା (Services) ଉତ୍ପାଦନ, କ୍ରୟ, ବିକ୍ରୟ କିମ୍ବା ବିନିମୟ କରିଥାଏ ଏବଂ ଏହାର ପ୍ରାଥମିକ ଲକ୍ଷ୍ୟ ହେଉଛି ଲାଭ (Profit) ଅର୍ଜନ କରିବା ସହିତ ଗରାଖ ମାନଙ୍କୁ ଖୁସି ଦେବା।
ବ୍ୟବସାୟର ପ୍ରକାରଭେଦ:-
ବ୍ୟବସାୟକୁ ମୁଖ୍ୟତଃ ତିନୋଟି ମୌଳିକ ପ୍ରକାରରେ ବିଭକ୍ତ କରାଯାଇପାରେ, ଯାହା ସେମାନେ ଯୋଗାଉଥିବା ସାମଗ୍ରୀ ବା ସେବା ଉପରେ ଆଧାରିତ । ଯଥା:-
୧. ସେବା ବ୍ୟବସାୟ (Service Businesses):-ଏହି ପ୍ରକାରର ବ୍ୟବସାୟକୁ ଇଣ୍ଟାଙ୍ଗିବୁଲ ବା ଅଦୃଶ୍ୟ ଉତ୍ପାଦ ବା ସେବା ପ୍ରଦାନ କୁହାଯାଇଥାଏ। ଏମାନେ କୌଣସି ଭୌତିକ ସାମଗ୍ରୀ ବିକ୍ରି କରନ୍ତି ନାହିଁ, ବରଂ ନିଜର ବିଶେଷଜ୍ଞତା, ଜ୍ଞାନ ବା ଶ୍ରମକୁ ଅର୍ଥ ବିନିମୟରେ ସେବା ଯୋଗାଇଥାନ୍ତି। ଏମାନଙ୍କର ମୁଖ୍ୟ କାର୍ଯ୍ୟ ହେଲା ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ସହାୟତା, ପରାମର୍ଶ ବା ସୁବିଧା ଯୋଗାଇବା। ଉଦାହରଣ:- ଡାକ୍ତରଖାନା, ବ୍ୟାଙ୍କ, ଓକିଲ ସଂସ୍ଥା, ପରିବହନ ସେବା, ଶିକ୍ଷା ପ୍ରତିଷ୍ଠାନ (କୋଚିଂ ସେଣ୍ଟର), ସଫ୍ଟୱେର୍ କମ୍ପାନୀ, ଚାଟାର୍ଡ଼ ଏକାଉଣ୍ଟାଣ୍ଟ୍ ଏମାନେ l
୨. ବାଣିଜ୍ୟ ବ୍ୟବସାୟ (Merchandising Businesses) :- ଏହି ବ୍ୟବସାୟଗୁଡ଼ିକ ଅନ୍ୟମାନଙ୍କଠାରୁ ଶେଷ ଉତ୍ପାଦ (finished goods) କିଣିଥାନ୍ତି ଏବଂ ସେଥିରେ ବିଶେଷ ପରିବର୍ତ୍ତନ ନକରି ଅଧିକ ମୂଲ୍ୟରେ ପୁଣି ବିକ୍ରି କରିଥାନ୍ତି। ଏମାନେ ଇନଭେଣ୍ଟୋରୀ ବା ଷ୍ଟକ୍ ରଖି ସମ୍ପୂର୍ଣ୍ଣ ବଜାରକୁ ନିଜ ଆୟତ୍ତରେ ରଖିଥାନ୍ତି l ଉଦାହରଣ: ଖୁଚୁରା ବ୍ୟବସାୟୀ, ସୁପରମାର୍କେଟ୍, ଲୁଗା ଦୋକାନ, ଅନଲାଇନ୍ ଷ୍ଟୋର୍, ଯେଉଁମାନେକି ସିଧାସଳଖ ଗ୍ରାହକଙ୍କୁ ବିକ୍ରି କରନ୍ତି, ଏବଂ ହୋଲସେଲ୍ ବ୍ୟବସାୟୀ (Wholesalers) ମଧ୍ୟ ଉତ୍ପାଦକଙ୍କଠାରୁ ବହୁଳ ପରିମାଣରେ ଦ୍ରବ୍ୟ କିଣି ଛୋଟ ଛୋଟ ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରନ୍ତି।
୩. ଉତ୍ପାଦନ ବ୍ୟବସାୟ (Manufacturing Businesses):- ଏହି ବ୍ୟବସାୟଗୁଡ଼ିକ କଞ୍ଚାମାଲ କିଣିଥାନ୍ତି ଏବଂ ଶ୍ରମ ତଥା ଯନ୍ତ୍ରପାତି ବ୍ୟବହାର କରି ତାହାକୁ ଏକ ସମ୍ପୂର୍ଣ୍ଣ ନୂଆ ସମାପ୍ତ ଉତ୍ପାଦରେ ପରିଣତ କରନ୍ତି। ଏମାନେ ନିଜସ୍ୱ ଉତ୍ପାଦ ସୃଷ୍ଟି କରନ୍ତି। ସାଧାରଣତଃ ଉତ୍ପାଦନ ପ୍ରକ୍ରିୟା (production process) ମାଧ୍ୟମରେ କଞ୍ଚାମାଲର ରୂପାନ୍ତରଣ କରିବା ଏବଂ ଏହାର ମୂଲ୍ୟ ଯୋଡ଼ିବା ହେଉଛି ଉତ୍ପାଦନ ବ୍ୟବସାୟୀର ମୂଳ ଲକ୍ଷ୍ୟ l ଉଦାହରଣ: ଗାଡ଼ି ତିଆରି କମ୍ପାନୀ, କପଡ଼ା କଳ (textile mills), ଇଲେକ୍ଟ୍ରୋନିକ୍ସ କାରଖାନା, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଏମାନେ ସବୁ l
ଏହି ତିନି ପ୍ରକାର ବ୍ୟବସାୟକୁ ଛାଡ଼ିଦେଲେ ଆଉ ଗୋଟେ ପ୍ରକାର ବ୍ୟବସାୟ ଥାଏ ତାହା ହେଲା ଏମାନଙ୍କର ମିଶ୍ରଣରେ ତିଆରି ମିଶ୍ରିତ ବ୍ୟବସାୟ ବା ହାଇବ୍ରିଡ଼ ବିଜିନେସ l ଅନେକ ଆଧୁନିକ ବ୍ୟବସାୟୀମାନେ ଏବେ ଏହି ତିନୋଟି ପ୍ରକାରର କାର୍ଯ୍ୟକଳାପକୁ ମିଶ୍ରଣ କରି ମିଶ୍ରିତ ବ୍ୟବସାୟ ସୃଷ୍ଟି କଲେଣି। ଉଦାହରଣ ସ୍ୱରୂପ, ଏକ ରେଷ୍ଟୁରାଣ୍ଟ (restaurant) ଖାଦ୍ୟ ‘ଉତ୍ପାଦନ’ କରେ, ପାନୀୟ ‘ବାଣିଜ୍ୟ’ କରେ ଏବଂ ଉତ୍ତମ ଡାଇନିଂ ଅଭିଜ୍ଞତା ବା ରହିବା ‘ସେବା’ ପ୍ରଦାନ କରେ।
