ମାଲିକାନା ଆଧାରରେ ବ୍ୟବସାୟର ପ୍ରକାରଭେଦ

ମାଲିକାନା ଆଧାରରେ ବ୍ୟବସାୟର ପ୍ରକାରଭେଦ (Types of Business by Legal Structure) :-

ବ୍ୟବସାୟର ମାଲିକାନା ସଂରଚନା (legal structure) ହେଉଛି ଆଇନଗତ ଢାଞ୍ଚା, ଯାହା ନିର୍ଦ୍ଧାରଣ କରେ ଯେ ଏହା କିପରି କର ବା ଟ୍ୟାକ୍ସ ଦେବ, ଏବଂ ମାଲିକମାନଙ୍କର ଦାୟିତ୍ୱ (liability) କେତେ ରହିବ। ମୁଖ୍ୟ ଆଇନଗତ ସଂରଚନାଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଯାଇଛି:-

. ଏକକ ମାଲିକାନା ବା ସୋଲୋ ପ୍ରୋପ୍ରାଇଟରସିପ୍ :-

ଏହା ସବୁଠାରୁ ସରଳ ଏବଂ ସାଧାରଣ ବ୍ୟବସାୟ ସଂରଚନା।ଏହି ବ୍ୟବସାୟକୁ ଜଣେ ମାତ୍ର ବ୍ୟକ୍ତି ଆରମ୍ଭ କରନ୍ତି ଏବଂ ପରିଚାଳନା କରନ୍ତି। ଏଠାରେ ଆଇନଗତ ଅନୁଯାୟୀ, ବ୍ୟବସାୟ ଏବଂ ମାଲିକ ଅଲଗା ନୁହଁନ୍ତି, ଦୁହେଁ ଏକ l ଏଥିରେ ଦାୟିତ୍ୱ ବା ଲାଇବିଲିଟି ସମ୍ପୂର୍ଣ୍ଣ ଭାବେ ମାଲିକ ଉପରେ ଥାଏ l ଏହାର ଅର୍ଥ ହେଉଛି ଯଦି ବ୍ୟବସାୟ ଋଣ କରେ, ତେବେ ମାଲିକଙ୍କର ବ୍ୟକ୍ତିଗତ ସମ୍ପତ୍ତି (ଯେପରିକି ଘର ବା ଗାଡ଼ି) ବ୍ୟବସାୟର ଋଣ ପରିଶୋଧ ପାଇଁ ବ୍ୟବହାର କରାଯାଇପାରିବ। ଉଦାହରଣ: ଜଣେ ଛୋଟ ଦୋକାନୀ, ଫ୍ରିଲାନ୍ସର, କିମ୍ବା ବ୍ୟକ୍ତିଗତ କନସଲଟାଣ୍ଟ ଏମାନେ ସବୁ ଏକକ ମାଲିକାନା ବା ସୋଲୋ ପ୍ରୋପ୍ରାଇଟରସିପ୍ ଅନ୍ତର୍ଭୁକ୍ତ l

. ଭାଗିଦାରୀ ବ୍ୟବସାୟ ବା ପାର୍ଟନରସିପ୍ :- ଏହି ସଂରଚନାରେ ଦୁଇ କିମ୍ବା ଅଧିକ ବ୍ୟକ୍ତି ଏକାଠି ହୋଇ ଲାଭ ଏବଂ କ୍ଷତିକୁ ବାଣ୍ଟିବା ଉଦ୍ଦେଶ୍ୟ ରଖି ବ୍ୟବସାୟ ଆରମ୍ଭ କରିବାକୁ ଭାଗିଦାରୀ ବ୍ୟବସାୟ ବା ପାର୍ଟନରସିପ୍ ବିଜିନେସ୍ କୁହାଯାଏ l ଏହା ଏକ ଭାଗିଦାରୀ ଚୁକ୍ତି ବା ପାର୍ଟନରସିପ ଡିଡ୍‌ ମାଧ୍ୟମରେ ସର୍ତ୍ତାବଳୀ ସ୍ଥିର କରାଯାଇ ଲିଖିତ ଆକାରରେ ରଖାଯାଏ l ଯାହାକି ଆଇନଗତ ଦସ୍ତାବିଜ୍ ଭାବେ ଦଖଲ ହୋଇପାରେ l ସାଧାରଣ ଭାଗିଦାରୀ ବ୍ୟବସାୟରେ ପ୍ରତ୍ୟେକ ଭାଗିଦାରଙ୍କର ଅସୀମ ଦାୟିତ୍ୱ ଥାଏ। ତେବେ ସୀମିତ ଦାୟିତ୍ୱ ଭାଗିଦାରୀ ବ୍ୟବସାୟ (LLP) ରେ ଭାଗିଦାରୀ ମାନଙ୍କ ଦାୟିତ୍ୱ ସୀମିତ ରହିଥାଏ।

ଉଦାହରଣ: ଦୁଇ ଜଣ ଓକିଲ ଏକାଠି ଏକ ଫାର୍ମ ଖୋଲିବା କିମ୍ବା ଦୁଇ ବା ଅଧିକ ଜଣ ଡାକ୍ତର କ୍ଲିନିକ୍ ଖୋଲିବା, ଭାଗିଦାର ବ୍ୟବସାୟର ଉଦାହରଣ l

. କମ୍ପାନୀ ବା କର୍ପୋରେସନ୍ :- ଏହା ଏକ ଜଟିଳ ସଂରଚନା, ଯାହା ଆଇନଗତ ଭାବେ ଏହାର ମାଲିକମାନଙ୍କ (ଅଂଶଧନକାରୀ/Shareholders) ଠାରୁ ସମ୍ପୂର୍ଣ୍ଣ ଅଲଗା ଏକ ସ୍ୱତନ୍ତ୍ର ସଂସ୍ଥା। ଏଥିରେ ଅନେକ ମାଲିକାନା ରହିଥାନ୍ତି, ଯାହାଙ୍କୁ ଅଂଶଧନକାରୀ ବା ସେୟାରହୋଲଡର୍ କୁହାଯାଏ l ଏଠାରେ କମ୍ପାନୀ ବା କର୍ପୋରେସନ୍ ନିଜ ନାମରେ ଚୁକ୍ତି କରିପାରିବ, ସମ୍ପତ୍ତି କିଣିପାରିବ ଏବଂ ଅଦାଲତରେ ମାମଲା ଦାୟର କରିପାରିବ। କହିବାକୁ ଗଲେ କମ୍ପାନୀ ନିଜେ ଏକ ଅଦୃଶ୍ୟ ବ୍ୟକ୍ତି ହୋଇ ଜଣେ ସାଧାରଣ ବ୍ୟକ୍ତିପରି ସବୁକିଛି ଆଇନଗତ କାମ କରିପାରିବ l କମ୍ପାନୀ ଅଂଶଧନକାରୀମାନଙ୍କର ସୀମିତ ଦାୟିତ୍ୱ (Limited Liability) ରହିଥାଏ। ଅଂଶଧନକାରୀମାନେ କେବଳ ସେମାନଙ୍କ ଦ୍ୱାରା ନିବେଶ ହୋଇଥିବା ରାଶି ପାଇଁ ଦାୟୀ ହୋଇଥାନ୍ତି। ବ୍ୟବସାୟର ଋଣ ପାଇଁ ସେମାନଙ୍କର ବ୍ୟକ୍ତିଗତ ସମ୍ପତ୍ତି ବିପଦରେ ପଡ଼େ ନାହିଁ। ଯାହା ହୁଏ କେବଳ କମ୍ପାନୀର ସମ୍ପତ୍ତି ମଧ୍ୟରୁ ହିଁ ହୁଏ l ଉଦାହରଣ: ରିଲିଆନ୍ସ, ଟାଟା ଗ୍ରୁପ, ଇନ୍ଫୋସିସ, ଜିନ୍ଦଲ l

. ସୀମିତ ଦାୟିତ୍ୱ କମ୍ପାନୀ (ଲିମିଟେଡ଼ ଲାଇବିଲିଟି ପାର୍ଟନରସିପ୍ – LLP):- ଏହା ଧିରେଧିରେ ଆମଦେଶରେ ଲୋକପ୍ରିୟ ବ୍ୟବସାୟ ସଂଘ ହିସାବରେ ବଢ଼ିବାରେ ଲାଗିଛି l ଏହା ଏମିତି ଏକ ସଂରଚନା, ଯାହା କର୍ପୋରେସନ୍ ବା କମ୍ପାନୀ ଏବଂ ଭାଗିଦାରୀର ଗୁଣଗୁଡ଼ିକୁ ମିଶ୍ରଣ ଭାବେ ପରିଲକ୍ଷିତ କରାଇଥାଏ l ଏହା ମଧ୍ୟରେ କମ୍ପାନୀରେ ଆଇନଗତ ଗୁଣ ଓ ଭାଗିଦାର ବା ପାର୍ଟନରସିପ୍ ବ୍ୟବସାୟର ଗୁଣ ସବୁ ମିଶାମିଶି ହୋଇ ରହିଥାଏ l ଏଥିରେ ମାଲିକମାନଙ୍କୁ (ଯେଉଁମାନଙ୍କୁ ‘ସଦସ୍ୟ’ କୁହାଯାଏ) କମ୍ପାନୀ ଭଳି ସୀମିତ ଦାୟିତ୍ୱ ପ୍ରଦାନ କରେ ଓ ଭାଗିଦାର ପରି ଲାଭ ଓ କ୍ଷତିରେ ଅଂଶୀଦାର କରେ l ଏଠାରେ ସଦସ୍ୟ ବା ଭାଗିଦାରମାନଙ୍କର ସୀମିତ ଦାୟିତ୍ୱ ରହିଥିବାରୁ ଛୋଟ ବ୍ୟବସାୟ ପାଇଁ ବେଶ ଫଳପ୍ରଦ ହୁଏ l କର ବା ଟ୍ୟାକ୍ସ ଦୃଷ୍ଟିରୁ ଏହା ଭାଗିଦାରୀ ଭଳି ନମନୀୟ (ଫ୍ଲେକ୍ସିବୁଲ୍) ହୋଇପାରେ, ଯାହା ଦୁଇଥର ଟ୍ୟାକ୍ସ (ଡବଲ ଟ୍ୟାକ୍ସସନ୍)ରୁ ମୁକ୍ତି ଦେଇଥାଏ l ଉଦାହରଣସ୍ୱରୂପ ଅଧିକାଂଶ ମଧ୍ୟମ ଧରଣର ବ୍ୟବସାୟ ଯାହା ସୁରକ୍ଷା ଏବଂ କର ଲାଭ ଚାହାଁନ୍ତି, ଯଥା: BRS & Co. LLP, Cygnet Infotech LLP l

. ଅଣଲାଭ/ ବିନା ଲାଭ ସଂସ୍ଥା (ନନପ୍ରଫିଟ୍‌ ଅର୍ଗାନାଇଜେସନ୍) :- ଏହି ସଂଗଠନଗୁଡ଼ିକର ଉଦ୍ଦେଶ୍ୟ ଲାଭ କରିବା ନୁହେଁ, ବରଂ ସାମାଜିକ, ଶିକ୍ଷାଗତ, ଧାର୍ମିକ କିମ୍ବା ଚାରିଟେବୁଲ୍ ଲକ୍ଷ୍ୟ ହାସଲ କରିବା। ସମସ୍ତ ଆୟ ସଂସ୍ଥାର ଲକ୍ଷ୍ୟ ପୂରଣ ପାଇଁ ବ୍ୟବହୃତ ହୁଏ, ଯାହାକି ସଂସ୍ଥାର ଡିଡ଼୍ ବା ଚୁକ୍ତିରେ ଲେଖାଯାଇଥାଏ l ଉଦାହରଣ: ଦାତବ୍ୟ ସଂସ୍ଥା, ବିଭିନ୍ନ ଫାଉଣ୍ଡେସନ୍, NGOs।

        

Leave a Reply

Your email address will not be published. Required fields are marked *